୨୦୨୪ ନିର୍ବାଚନ ଭଣ୍ଡୁର ନେଇ ଗାଁ ଗାଁରେ ରାଲି କରିବ ନକ୍ସଲ ସଂଗଠନ
The Naxal organization will hold a rally in every village for the 2024 elections
ମାଲକାନଗିରି (୧୨/୦୪) ସ୍ୱତନ୍ତ୍ରବାର୍ତ୍ତା ବ୍ୟୁରୋ: ୨୦୨୪ ଲୋକସଭା ଏବଂ ବିଧାନସଭା ନିର୍ବାଚନକୁ ନେଇ ନକ୍ସଲ ସଂଗଠନର କେନ୍ଦ୍ରୀୟ କମିଟି ପ୍ରଥମରୁ ହିଁ ଲୋକଙ୍କୁ ଏଥିରେ ଭାଗ ନନେବାକୁ ଆହ୍ୱାନ ଦେଇଛି । ତେବେ ଆସନ୍ତାକାଲି ଠାରୁ ନକ୍ସଲ ସଂଗଠନ ପକ୍ଷରୁ ଛତିଶଗଡ ଏବଂ ମାଲକାନଗିରି ଜିଲ୍ଲାର ଦୁର୍ଗମ ଗାଁଗୁଡିକରେ ନକ୍ସଲ ନିର୍ବାଚନକୁ ଭଣ୍ଡୁର କରିବା ନେଇ ରାଲିର ଆୟୋଜନ କରିବ ନେଇ ସ୍ପଷ୍ଟ କରିଛି । ଦୀର୍ଘ ଦିନ ଧରି ମାଲକାନଗିରି ଜିଲ୍ଲାରେ ନକ୍ସଲଙ୍କର କୌଣସି ଗତିବିଧି କିମ୍ବା ଅଘଟଣ ଘଟାଇବା ଭଳି କୌଣସି ଘଟଣା ଘଟିନଥିଲେ ମଧ୍ୟ ନକ୍ସଲ ଚୁପ ରହିବା ଆଗକୁ ବିପଦ ଆସୁଥିବାର ଆଶଂକା କରାଯାଉଛି ।
ଛତିଶଗଡରେ ନକ୍ସଲ ପ୍ରତିଦିନ କୌଣସି ନା କୌଣସି ସ୍ଥାନରେ ହିଂସା ଘଟାଉଥିବା ବେଳେ ମାଲକାନଗିରିରେ ସେଭଳି କୌଣସି ଘଟଣା ଘଟୁ ନାହିଁ । କିନ୍ତୁ ପୁଲିସ ଏବଂ ସୁରକ୍ଷାକର୍ମୀ ସତର୍କତା ଅବଲମ୍ବନ କରୁଛନ୍ତି । ଆଗକୁ ଛତିଶଗଡ଼ରେ ଲୋକସଭା ଏବଂ ଓଡିଶାରେ ବିଧାନସଭା ନିର୍ବାଚନ ରହିଥିବାରୁ ଦିଲ୍ଲୀ ଠାରୁ ମାଲକାନଗିରି ପର୍ଯ୍ୟନ୍ତ ନକ୍ସଲ ଦମନ ନେଇ ବୈଠକ ବସୁଛି ।ନକ୍ସଲ ଗତିବିଧି ଉପରେ ଗୁଇନ୍ଦା ତୀକ୍ଷଣ ନଜର ରଖିଥିବା ବେଳେ କୌଣସି ଅଘଟଣକୁ ଏଡାଇବା ପାଇଁ ସମସ୍ତେ ସଜାଗ ରହିଛନ୍ତି ।
ସେହିପରି ଓଡିଶା ଓ ଛତିଶଗଡ଼ ସୀମାରେ ହାଇଆଲର୍ଟ ଜାରି କରାଯାଇଛି । ସୀମାରେ କଡ଼ାକଡ଼ି ଯାଞ୍ଚ ଚାଲିଛି । ସମସ୍ତ ଯାନବାହନ ସହ ସଂଦେହ କରାଯାଉଥିବା ବ୍ୟକ୍ତିଙ୍କୁ ଅଟକାଇ ପଚରାଉଚରା କରାଯାଉଛି । ନକ୍ସଲ ଯେପରି ନିର୍ବାଚନକୁ ଭଣ୍ଡୁର ନକରିପାରନ୍ତି ସେଥିପାଇଁ କଡାକଡି ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସୀମାରେ ଓଡ଼ିଶାର ସୁରକ୍ଷାକର୍ମୀ ଏବଂ ଛତିଶଗଡ଼ର ସୁରକ୍ଷାକର୍ମୀ ମିଳିତ ଭାବେ କୁମ୍ବିଂ କରୁଥିବା ଦେଖିବାକୁ ମିଳିଛି । ଆସନ୍ତାକାଲି ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ନକ୍ସଲ ସଂଗଠନ ପକ୍ଷରୁ ଗାଁ ଗାଁରେ ସଚେତନତା ରାଲି ସହ ନିର୍ବାଚନକୁ ବର୍ଜନ କରିବା ପାଇଁ ଯେଉଁ ଆହ୍ୱାନ ଦିଆଯାଇଛି, ତାହା ଗୁରୁତ୍ୱର ସହ ନେଇଛି ପୁଲିସ ।
ପୁଣି ଆସନ୍ତା ୧୫ ତାରିଖ ଦିନ ୫ଟି ରାଜ୍ୟରେ ବନ୍ଦ ଡାକରା ଦିଆଯାଇଥିବାରୁ ତାକୁ ନେଇ ଏବେ ଠାରୁ ପୁଲିସ ସତର୍କତା ଅବଲମ୍ବନ କରୁଛି । ସମସ୍ତ ନକ୍ସଲ ପ୍ରବଣ ଅଂଚଳଗୁଡିକରେ ସର୍ଚ୍ଚ ଅପରେସନକୁ ଜୋରଦାର କରିଛି । ଗାଁ ଗାଁରେ ଥିବା ମିଲିସିଆଙ୍କୁ ପୁଲିସ ଟାର୍ଗେଟ କରିବ । ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକରେ ମଧ୍ୟ ଏଥର ଶାନ୍ତିପୂର୍ଣ୍ଣ ମତଦାନ ହେବା ନେଇ ସମସ୍ତ ପ୍ରସ୍ତୁତି ସରିଛି । ସ୍ୱାଭିମାନ ଅଂଚଳରେ ନକ୍ସଲ ପ୍ରତିବର୍ଷ ନିର୍ବାଚନକୁ ଭଣ୍ଡୁର କରିଆସୁଥିଲେ ।ଏଥର କିନ୍ତୁ ସମସ୍ତ ଜନତା ନିର୍ଭୟରେ ନିଜ ନିଜର ଭୋଟଦାନ କରିପାରିବେ ବୋଲି କୁହାଯାଇଛି ।ତେବେ ଆସନ୍ତା ତିନି ଦିନ ପୁଲିସ ଏବଂ ସୁରକ୍ଷାକର୍ମୀଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହୋଇଥିବା ବେଳେ ଏହାକୁ କିପରି ମୁକାବିଲା କରୁଛି ଦେଖିବାକୁ ବାକି ରହିଲା ।