ବ୍ୟବସାୟିକ ଶିକ୍ଷାର ପ୍ରସାରଣ ଜାତୀୟ ଶିକ୍ଷାନୀତିର ମୌଳିକ ଲକ୍ଷ୍ୟ : ଏସ. ଟି. ଏଫ. ଆଇ
STFI, National Education Policy
ଅବୈଜ୍ଞାନିକ ଓ ବ୍ୟବସାୟୀକ ଶିକ୍ଷାର ପ୍ରସାରଣ ଜାତୀୟ ଶିକ୍ଷାନୀତି ମୌଳିକ ଲକ୍ଷ୍ୟ : ଏସ ଟି ଏଫ୍ ଆଇ
*****************************************
ପୁରୀ ୦୭/୦୫ (ସ୍ୱତନ୍ତ୍ର ବାର୍ତ୍ତା ବ୍ୟୁରୋ )- ଜାତୀୟ ଶିକ୍ଷାନୀତି - ୨୦୨୦ ଭାରତୀୟ ସମ୍ବିଧାନ ଲକ୍ଷ୍ୟ ଓ ଆଦର୍ଶର ବିରୋଧୀ ଏବଂ ଏହା ମୂଳତଃ
ଅବୈଜ୍ଞାନିକ ଓ ବ୍ୟବସାୟୀକ ଶିକ୍ଷାର ପ୍ରସାରଣ କରିବ ବୋଲି ବିଶିଷ୍ଟ ସମାଜ ବିଜ୍ଞାନୀ ପ୍ରଫେସର ବିଜୟ ବହିଦାର ମତବ୍ୟକ୍ତ କରିଛନ୍ତି ।
ଅଖିଳ ଭାରତ ବିଦ୍ୟାଳୟ ଶିକ୍ଷକ ମହାସଂଘ ପକ୍ଷରୁ ପୂର୍ବାଞ୍ଚଳ ରାଜ୍ୟ ମାନଙ୍କ ପ୍ରତିନିଧି ମାନଙ୍କୁ ନେଇ ପୁରୀ ୟୁଥ୍ ହଷ୍ଟେଲ ସମ୍ମିଳନୀ କକ୍ଷରେ " ଜାତୀୟ ଶିକ୍ଷାନୀତି - ୨୦୨୦ " ଉପରେ ଆୟୋଜିତ କର୍ମଶାଳା ଓ ଆଲୋଚନାଚକ୍ରକୁ ଉଦଘାଟନ କରି ପ୍ରଫେସର ବିଜୟ ବହିଦାର କହିଲେ ଯେ ଶିକ୍ଷାର ମୌଳିକ ନିର୍ଯ୍ୟାସ ହେଉଛି ବୈଜ୍ଞାନିକ ଚେତନା ବିକାଶ କରିବା ଓ ସମାନତା ପୂର୍ଣ୍ଣ ସମାଜ ଗଢ଼ିବା ଦିଗରେ ବର୍ତ୍ତମାନର ବଂଶଧରଙ୍କୁ ପ୍ରସ୍ତୁତ କରିବା । ଜାତୀୟ ଶିକ୍ଷାନୀତି ଦେଶର ସମ୍ବିଧାନରେ ଘୋଷିତ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ସାମାଜିକ ନ୍ୟାୟର ଢାଞ୍ଚାକୁ ଦୁର୍ବଳ କରିବ ଓ ବ୍ୟବସାୟୀକ ଶିକ୍ଷାକୁ ଅଧିକ ଶକ୍ତିଶାଳୀ କରିବ ବୋଲି ସେ କହିଥିଲେ । ଜାତୀୟ ଶିକ୍ଷାନୀତିକୁ ବିରୋଧ କରିବା ସହ ଆମ ଦେଶର ସମ୍ବିଧାନ ଆଧାରରେ ବିକଳ୍ପ ଶିକ୍ଷାର ନକ୍ସା ପ୍ରସ୍ତୁତି କରି ତା ସପକ୍ଷରେ ଜନଗଣଙ୍କୁ ଠିଆ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ ।
ସମ୍ମାନିତ ବକ୍ତା ଭାବେ ଯୋଗଦେଇ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ମାନସ ବେହେରା ଜାତୀୟ ଶିକ୍ଷାନୀତି ୨୦୨୦ ଶିକ୍ଷାର ଘରୋଇକରଣ ଓ ବ୍ୟବସାୟୀକରଣକୁ
ପ୍ରୋତ୍ସାହିତ କରିବ । ଜାତୀୟ ଶିକ୍ଷାନୀତି ସହ କେନ୍ଦ୍ର ସରକାର ନିଜର କ୍ଷମତାର ଅପବ୍ୟବହାର କରି ରାଜ୍ୟ ମାନଙ୍କର ଅଧିକାର ଓ ସ୍ୱାୟତତ୍ତା ବିପନ୍ନ କରୁଛନ୍ତି । ରାଜ୍ୟ ବିଶ୍ବବିଦ୍ୟାଳୟ ମାନଙ୍କରେ କୁଳପତି ନିଯୁକ୍ତିରେ ରାଜ୍ୟପାଳମାନେ କେନ୍ଦ୍ରର ଅନୁଗତ ପ୍ରତିନିଧି ଭାବେ କାର୍ଯ୍ୟ କରୁଛନ୍ତି। ବଜେଟରେ ବ୍ୟବହାର କ୍ରମାଗତ ହ୍ରାସରାଷ୍ଟ୍ର ପ୍ରୋତ୍ସାହିତ ଶିକ୍ଷାକୁ ଦୁର୍ବଳ କରିବା ଦିଗରେ ଅଧିକ ସାହାଯ୍ୟ କରିବ । ଜାତୀୟ ଶିକ୍ଷାନୀତି ବିରୁଦ୍ଧରେ ବିରୋଧୀଙ୍କ ସ୍ୱରକୁ ଚାପି ଦେବା ପାଇଁ ଶିକ୍ଷକ ସଙ୍ଗଠନ,ଓ ଛାତ୍ର ସଂସଦ ଓ ସେମାନଙ୍କର ଗଣତାନ୍ତ୍ରିକ ଅଧିକାର ଉପରେ ସାମ୍ପ୍ରଦାୟିକ ଶକ୍ତିମାନଙ୍କ ଆକ୍ରମଣ ବଢ଼ିବାରେ ଲାଗିଛି ।
କର୍ମଶାଳାରେ ସମ୍ମାନିତ ବକ୍ତଭାବେ ପ୍ରାକ୍ତନ ପ୍ରାଧ୍ୟାପକ ତଥା ସୁରଜମଲ ସାହା ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ଜେନା ବିଦ୍ୟାଳୟ ଶିକ୍ଷା ଉପରେ ବକ୍ତବ୍ୟ ରଖି କହିଲେ ଯେ ବାଲ୍ୟାବସ୍ଥା ଶିକ୍ଷା ଓ ଯତ୍ନ ପାଇଁ ପାଠ୍ୟକ୍ରମ, ଆବଶ୍ୟକୀୟ ତାଲିମପ୍ରାପ୍ତ ଶିକ୍ଷକ ଓ ଭିତ୍ତିଭୂମି ନଥାଇ ବାଲ ବାଟିକା ଖୋଲାଯାଇଛି । ଘରୋଇ ଭାବେ ନର୍ସରୀ ଭାବେ ଚାଲିଥିବା ଶିକ୍ଷାନୁଷ୍ଠାନ ମାନଂକ ବ୍ୟବସାୟକୁ ଆନୁଷ୍ଠାନିକ ସ୍ଵୀକୃତି ଦେବାପାଇଁ ଅତି ତରବରିଆ ଭାବେ ଏହା କରାଯାଇଛି । ବିଜେପି ଓ ଆର ଏସ ଏସ ପ୍ରତ୍ୟେକ୍ଷ ପ୍ରୋତ୍ସାହନରେ ଚାଲିଥିବା ବିଦ୍ୟା ଭାରତୀ ଅଧୀନରେ ଥିବା ହଜାର ହଜାର ଶିକ୍ଷାନୁଷ୍ଠାନ ଏହାର ପ୍ରତ୍ୟକ୍ଷ ବ୍ୟବସାୟୀକ ଫାଇଦା ପାଇବେ । ଗତ ୧୦ ବର୍ଷ ଶାସନରେ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଦୁର୍ବଳ ହେବା ଯୋଗୁ ଦେଶରେ ବିଦ୍ୟାଳୟରେ ନାମ ଲେଖାଇଥିବା ୫ କୋଟି ପଢ଼ିବା ଲେଖିବା ଜାଣି ନାହାନ୍ତି ବୋଲି ଶିକ୍ଷାନୀତିରେ ଉଲ୍ଲେଖ ରହିଛି । ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ସ୍ତରରେ ଅଧିକ ଅଧାରୁ ପାଠ ଛାଡୁଛନ୍ତି ଓ ଏହାକୁ ରୋକିବା ପାଇଁ ଜାତୀୟ ଶିକ୍ଷାନୀତିରେ ନିର୍ଦ୍ଦିଷ୍ଟ ଭାବେ କିଛି ପ୍ରସ୍ତାବ ନାହିଁ ।ସାଧାରଣ ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥା ସୁଦୃଢ଼ ସହ ଶିକ୍ଷାର ଘରୋଇ କରଣ ଓ ବ୍ୟବସାୟୀକରଣ ନିୟନ୍ତ୍ରଣ ପାଇଁ ଆଇନ ଜରୁରୀ ବୋଲି ସେ କହିଥିଲେ । ଶିକ୍ଷା ପାଇଁ ଆବଶ୍ୟକୀୟ ବ୍ୟୟ ବରାଦ ହ୍ରାସ ଯୋଗୁଁ ସରକାରୀ ଶିକ୍ଷା ବ୍ୟବସ୍ଥା ଗୁରୁତର ଭାବେ ଦୁର୍ବଳ ହେଉଛି । ଶିକ୍ଷାରେ କର୍ପୋରେଟ ଲୁଣ୍ଠନ ବଢିବ ଓ ପାଠ୍ୟକ୍ରମରେ ଅବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ଜରିଆରେ ସାଂପ୍ରଦାୟିକ ଶକ୍ତି ମଦତ ପୃଷ୍ଠ ହେବେ ବୋଲି ସେ କହିଥିଲେ ।
ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ସଂଘର ସଭାପତି ଅକ୍ଷୟ ମିଶ୍ର, ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘର ପ୍ରାକ୍ତନ ସଭାପତି ଜଗବନ୍ଧୁ ଜେନା , ପ୍ରାଥମିକ ଶିକ୍ଷକ ସଂଘର ସଭାପତି ବିଭୁ ପ୍ରସାଦ ସାହୁଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀ କର୍ମଶାଳା ପରିଚାଳନା କରିଥିଲେ । ଉଦଘାଟନ ପରେ ସଂଘର ସର୍ବଭାରତୀୟ କୋଷାଧ୍ୟକ୍ଷ ପ୍ରକାଶ ମହାନ୍ତି ଭିତ୍ତିପତ୍ର ଉପସ୍ଥାପନ କରି ଜାତୀୟ ଶିକ୍ଷାନୀତି ବିରୁଦ୍ଧରେ ବ୍ୟାପକ ଆନ୍ଦୋଳନ ଗଢ଼ିବା ଆହ୍ୱାନ ଦେଇଥିଲେ । ଏହି
ଭିତ୍ତିପତ୍ରକୁ ସଂଘର ଯୁଗ୍ମ ସାଧାରଣ ସମ୍ପାଦକ ସୁକୁମାର ପାଇନ୍ ପ୍ରସ୍ତାବକୁ ସମର୍ଥନ କରିଥିଲେ। ସଂଘର ଅନ୍ୟତମ ସମ୍ପାଦକ ତ୍ରିପୁରାର ସାଲିବାଲ ରାୟ ଧନ୍ୟବାଦ୍ ପ୍ରଦାନ କରିଥିଲେ ।
କର୍ମଶାଳାର ଦ୍ୱିତୀୟ ଅଧିବେଶନରେ ଶିକ୍ଷକ ନେତା ଜାତୀୟ ଶିକ୍ଷାନୀତି ଉପରେ ପଶ୍ଚିମ ବଙ୍ଗର ଶିକ୍ଷକ ନେତ୍ରୀ କାକୋଳି ଭୌମିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଶିକ୍ଷକ ନେତା ମୋହନ ଦାସ ପଣ୍ଡିତ, ନନ୍ଦନ ଚକ୍ରବର୍ତ୍ତୀ, କୁମାର ଅମରେନ୍ଦ୍ର ପ୍ରସାଦ, ବିନୋଦ ବିହାରୀ ପାଣିଗ୍ରାହୀ, ବ୍ରହ୍ମାନନ୍ଦ ମହାରଣା, ଯୁଧିଷ୍ଠିର ପ୍ରଧାନ, ଓ ସୁକାନ୍ତ ବେହେରା ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ପ୍ରାରମ୍ଭରେ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ସଂଘର କୋଷାଧ୍ୟକ୍ଷ ଶଙ୍କର କୁମାର ସୁବୁଦ୍ଧି ଅତିଥି ମାନଙ୍କୁ ପରିଚୟ ଦେବା ସହ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଏହି କର୍ମଶାଳାରେ ପଶ୍ଚିମ ବଙ୍ଗ, ତ୍ରିପୁରା, ବିହାର , ଓଡ଼ିଶାର ପ୍ରତିନିଧି ମାନେ ଯୋଗଦେଇଥିଲେ ।