ରଦ୍ଦ ହେଲା ବିଧାୟକ ଅରବିନ୍ଦ ଢାଲି ଓ ପ୍ରେମାନନ୍ଦ ନାୟକଙ୍କ ସଭ୍ୟପଦ

ରଦ୍ଦ ହେଲା ବିଧାୟକ ଅରବିନ୍ଦ ଢାଲି ଓ ପ୍ରେମାନନ୍ଦ ନାୟକଙ୍କ ସଭ୍ୟପଦ

ଭୁବନେଶ୍ବର : ଜୟଦେବ ବିଧାୟକ ଅରବିନ୍ଦ ଢାଲି ଓ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକଙ୍କ ସଭ୍ୟପଦ ରଦ୍ଦ ହୋଇଛି । ଦୁଇ ବିଧାନସଭା ବିଧାୟକଙ୍କ ସଭ୍ୟ ପଦ ରଦ୍ଦ କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ । ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲିଙ୍କ ଆବେଦନକୁ ଆଧାର କରି ବାଚସ୍ପତି ଦୁଇ ବିଧାୟକଙ୍କ ବିଧାୟକ ପଦକୁ ରଦ୍ଦ କରିଛନ୍ତି। ଅରବିନ୍ଦ ଢାଲି ଓ ପ୍ରେମାନନ୍ଦ ନାୟକ ବିଜେଡି ଛାଡିବା ପରେ ମାର୍ଚ୍ଚ ୧୮ ତାରିଖରେ ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ଏନେଇ ବାଚସ୍ପତିଙ୍କ ପାଖରେ ପିଟିସନ୍ ଦାୟର କରିଥିଲେ ।

ପିଟିସନ୍ ଆଧାରରେ ଦୁଇ ବିଧାୟକଙ୍କୁ ନୋଟିସ୍ କରାଯାଇଥିଲା । କିନ୍ତୁ ପିଟିସନର ଉତ୍ତର ଦେଇନଥିଲେ ଅରବିନ୍ଦ ଢାଲି ଓ ପ୍ରେମାନନ୍ଦ ନାୟକ। ଯେଉଁଥିପାଇଁ ବାଚସ୍ପତି ସମ୍ବିଧାନର ନିୟମ ମୁତାବକ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଏହି ଦୁଇ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ କରିଛନ୍ତି । ତେବେ ସଭ୍ୟପଦ ରଦ୍ଦକୁ ନେଇ ବିଧାୟକ ଅରବିନ୍ଦ ଢାଲି ପ୍ରତିକ୍ରିୟା ରଖିଛନ୍ତି ଓ କହିଛନ୍ତି ସଭ୍ୟପଦ ରଦ୍ଦ କରିବା ସ୍ବାଭାବିକ । କିନ୍ତୁ ସଭ୍ୟପଦ ରଦ୍ଦ କରିବା ପୂର୍ବରୁ ପକ୍ଷ ରଖିବାକୁ ସୁଯୋଗ ଦିଆଯାଇନି । ମତାମତ ନନେଇ ଏକତରଫା ନିଷ୍ପତ୍ତି ନେଇଛନ୍ତି ବୋଲି କହିବା ସହ ଏହି ନିଷ୍ପତି ନିର୍ବାଚନ ଉପରେ କୌଣସି ପ୍ରଭାବ ପକାଇବନି ବୋଲି ପ୍ରତିକ୍ରିୟା ରଖିଛନ୍ତି । ତେବେ ଗତ ମାର୍ଚ୍ଚ ମାସରେ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିଲେ ଅରବିନ୍ଦ ଢାଲି । ପ୍ରେମାନନ୍ଦ ନାୟକ ମଧ୍ୟ ବିଜେଡି ଛାଡି ବିଜେପିରେ ସାମିଲ ହେଇଛନ୍ତି ।