ଭିନ୍ନ ଦଳରେ ବାପ ପୁଅ 

ଭିନ୍ନ ଦଳରେ ବାପ ପୁଅ 

ଭୁବନେଶ୍ୱର :(୧୨/୦୪) ସ୍ୱତନ୍ତ୍ରବାର୍ତା ବ୍ୟୁରୋ ତିନିଟି ନିର୍ବାଚନମଣ୍ଡଳୀର ପ୍ରାର୍ଥୀ ଓ ରାଜନୀତିରେ ସକ୍ରିୟ ଥିବା ଏହି ପ୍ରାର୍ଥୀମାନଙ୍କ ବାପାମାନଙ୍କ ଉପରେ ଏବେ ସମସ୍ତଙ୍କ ନଜର । ବାପା ଗୋଟିଏ ଦଳର ଥିବାବେଳେ ପୁଅ ଅନ୍ୟ ଦଳରୁ ପ୍ରାର୍ଥୀ ହୋଇଥିବା ପରିପ୍ରେକ୍ଷୀରେ ଏହି ତିନି ନିର୍ବାଚନମଣ୍ଡଳୀରେ ରୋଚକ ସ୍ଥିତି ।ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ରଙ୍କୁ ପାଟକୁରା ବିଧାନସଭା କ୍ଷେତ୍ରରୁ ବିଜୁଜନତାଦଳ ପ୍ରାର୍ଥୀ କରିଛି । ପ୍ରାୟ ୨୦ବର୍ଷ ଧରି ବିଜୟ ପାଟକୁରାରୁ ପ୍ରତିନିଧିତ୍ୱ କରିବା ସହିତ ବିଜୁ ପଟ୍ଟନାୟକଙ୍କ ସରକାରରେ ପ୍ରଭାବଶାଳୀ ମନ୍ତ୍ରୀ ଥିଲେ । ତେବେ ୨୦୦୦ ମସିହାରୁ ଏଯାବତ୍‌? ସେ ଆଉ ବିଧାନସଭାକୁ ଆସିପାରୁ ନାହାନ୍ତି ।ଚାରି ଚାରି ଥର ସେ ପାଟକୁରା ଓ ମହାକାଳପଡା ବିଧାନସଭା ଆସନରୁ ଲଢେଇ କରି ପରାଜିତ ହୋଇଛନ୍ତି । ଏହା ସତ୍ୱେ ବି ପାଟକୁରାରେ ତାଙ୍କର ଭଲ ସଂଗଠନ ଓ ପ୍ରଭାବ ରହିଛି । ଏଯାବତ୍‌? ବିଜୟ ମହାପାତ୍ର ବିଜେପିର ସଦସ୍ୟ ରହିଛନ୍ତି । ତେବେ ଏଥର ବିଜେପି ତାଙ୍କୁ ଟିକଟ ଦେଇନାହିଁ । ଅନ୍ୟ ପକ୍ଷରେ ତାଙ୍କ ପୁଅ ବିଜେଡିରୁ ପ୍ରାର୍ଥୀ ହୋଇଥିବା ପରିପ୍ରେକ୍ଷୀରେ ସେ ପୁଅଙ୍କ ବିଜୟ ପାଇଁ ରଣନୀତି ନିର୍ଦ୍ଧାରଣ ସହ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଥିବା ଦେଖିବାକୁ ମିଳୁଛି ।କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ସାନ ପୁଅ ମନ୍ମଥ କୁମାର ରାଉତରାୟ ଭୁବନେଶ୍ୱର ଲୋକସଭା ଆସନରୁ ବିଜୁ ଜନତା ଦଳର ପ୍ରାର୍ଥୀ ହୋଇଛନ୍ତି । ସୁର ରାଉତରାୟ କଂଗ୍ରେସରେ ଅଛନ୍ତି ଓ ରହିବେ ଏବଂ କଂଗ୍ରେସ ଭିନ୍ନ ଅନ୍ୟ କେଉଁ ଦଳ ପାଇଁ ପ୍ରଚାର କରିବେ ନାହିଁ ବୋଲି କହୁଥିଲେ ମଧ୍ୟ ବସ୍ତୁତଃ ବିଭିନ୍ନ ସ୍ଥାନରେ ସେ ତାଙ୍କ ପୁଅ ମନ୍ମଥଙ୍କୁ ଜିଣାଇବାପାଇଁ ଲୋକଙ୍କୁ ନିବେଦନ କରୁଥିବା ଦେଖିବାକୁ ମିଳୁଛି । ତାଙ୍କ ବିରୁଦ୍ଧରେ କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବନାହିଁ ସେ ସଂକ୍ରାନ୍ତରେ କଂଗ୍ରେସ ନୋଟିସ୍‌? ଦେଇଥିବାବେଳେ ସୁର ବି ତାହାର ଉତ୍ତର ଦେଇଛନ୍ତି । ଏବେ ଆଉ ତାଙ୍କୁ କଂଗ୍ରେସର କୌଣସି କାର୍ଯ୍ୟକ୍ରମରେ ସାମିଲ କରାଯାଉନଥିବାବେଳେ ତାଙ୍କ ବଡପୁଅ ସିଦ୍ଧାର୍ଥଙ୍କୁ କଂଗ୍ରେସ ଟିକଟ ଦେବ କି ନାହିଁ ତାହା ଆଗାମୀ ଦିନରେ ଜଣାପଡିବ ।ସେହିଭଳି ଚିକିଟି ନିର୍ବାଚନମଣ୍ଡଳୀରୁ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟାନସାମନ୍ତରାୟଙ୍କ ପୁଅ ମନୋରଞ୍ଜନ ଦ୍ୟାନସାମନ୍ତରାୟଙ୍କୁ ବିଜେପି ପ୍ରାର୍ଥୀ କରିଥିବାବେଳେ ଏହି ଆସନରୁ ତାଙ୍କ ବଡଭାଇ ରବୀନ୍ଦ୍ରନାଥ ଦ୍ୟାନସାମନ୍ତରାୟଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି । ଦୁଇ ଭାଇ ଦୁଇ ଜାତୀୟ ଦଳରୁ ଗୋଟିଏ ନିର୍ବାଚନମଣ୍ଡଳୀରୁ ପରସ୍ପର ବିରୁଦ୍ଧରେ ଲଢୁଥିବାବେଳେ ସେମାନଙ୍କ ପିତା ବରିଷ୍ଠ କଂଗ୍ରେସ ନେତା ଚିନ୍ତାମଣି ଦ୍ୟାନସାମନ୍ତରାୟଙ୍କ ଉପରେ ସମସ୍ତଙ୍କ ନଜର ରହିଛି ।ତେବେ ଚିନ୍ତାମଣି ଦ୍ୟାନସାମନ୍ତରାୟ ଗଣମାଧ୍ୟମକୁ କହି ସାରିଛନ୍ତି ଯେ ସେ କଂଗ୍ରେସରେ ଅଛନ୍ତି, ମଲା ପର୍ଯ୍ୟନ୍ତ କଂଗ୍ରେସରେ ରହିବେ ଏବଂ କଂଗ୍ରେସ ଛଡା ଆଉ କାହା ସପକ୍ଷରେ କହିବେ ନାହିଁ । ଏହି ଆସନରୁ ମନ୍ତ୍ରୀ ଉଷାଦେବୀଙ୍କ ପୁତ୍ର ଚିନ୍ମୟାନନ୍ଦ ଶ୍ରୀରୂପ ଦେବଙ୍କୁ ବିଜେଡି ପ୍ରାର୍ଥୀ କରିଛି । ନିର୍ବାଚନ ପାଖେଇ ଆସୁଥିବା ପରିପ୍ରେକ୍ଷୀରେ ରାଣୀଙ୍କ ଗଡକୁ ଭାଙ୍ଗିବାପାଇଁ ଦ୍ୟାନସାମନ୍ତରାୟଙ୍କ କେଉଁ ପୁଅ କେତେ ସକ୍ଷମ ହେଉଛନ୍ତି ତାହା ଉପରେ ଏବେ ରାଜନୈତିକ ପର୍ଯ୍ୟବେକ୍ଷକମାନଙ୍କ ନଜର ।ଅବଶ୍ୟ ଏଥର ବିଧାନସଭା ଓ ଲୋକସଭା ନିର୍ବାଚନରେ ବହୁ ରାଜନେତାଙ୍କ ପୁତ୍ର, କନ୍ୟା, ପତ୍ନୀ ଓ ପରିବାରର ଅନେକ ସଦସ୍ୟ ପ୍ରାର୍ଥୀ ହୋଇଛନ୍ତି । ତେବେ ଅଧିକାଂଶ ଗୋଟିଏ ଦଳରୁ ଥିବାବେଳେ ଯେଉଁସବୁ କ୍ଷେତ୍ରରେ ବାପା ଗୋଟିଏ ଦଳରୁ ଓ ପୁଅ ଅନ୍ୟ ଦଳରେ ରହିଛନ୍ତି ସେଠାରେ ଦଳୀୟ କର୍ମୀଙ୍କ ମଧ୍ୟରେ ବିଭ୍ରାନ୍ତି ଉପୁଜୁଥିବା ଲକ୍ଷ୍ୟ କରାଯାଉଛି ।