ଚାଷୀ ଭୋଟରେ ଚାଷୀ ବିରୋଧୀଙ୍କୁ ପରାସ୍ତ କର : ଶେଷଦେବ

ତିର୍ତ୍ତୋଲ,୧୨!୪ : ଚାଷୀ ଭୋଟରେ ଚାଷୀ ବିରୋଧୀଙ୍କୁ ପରାସ୍ତ କର । ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବୈଠକରେ ଯୋଗଦେଇ ଏହି ଆହ୍ୱାନ ଦେଇଛନ୍ତି ନବନିର୍ମାଣ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ । ରାଜ୍ୟ ସହସଂଯୋଜକ ରଶ୍ମି ରଂଜନ ସ୍ୱାଇଁଙ୍କ ଆହ୍ୱାନ କ୍ରମେ ଆୟୋଜିତ ଏହି ସମାବେଶକୁ ଉଦବୋଧନ ଦେଇ ଶ୍ରୀ ନନ୍ଦ କହିଥିଲେ ଯେ, ଏ ଦେଶ ଏକ ଚାଷୀ ପ୍ରଧାନ ଦେଶ ଓ ଚାଷୀ ପ୍ରଧାନ ରାଜ୍ୟ । ହେଲେ, ଚାଷୀ ପ୍ରଧାନ ରାଜ୍ୟରେ ଓ ଚାଷୀ ପ୍ରଧାନ ଦେଶରେ ଚାଷୀଙ୍କୁ ଚରମ ଅବହେଳାର ଶୀକାର ହେବାକୁ ପଡ଼ୁଛି । ବନ୍ୟା, ବାତ୍ୟା, ମରୁଡ଼ି, ବିପର୍ଯ୍ୟୟ ଚାଷୀଙ୍କ ଅଣ୍ଟାକୁ ଯେତିକି ଭାଙ୍ଗୁ ନାହିଁ, ତାଠାରୁ ବେଶୀ ଅସହ୍ୟ ହେଉଛି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚାଷୀ ବିରୋଧୀ ମନଭାବ । ରାଜ୍ୟ ଓ କେନ୍ଦ୍ର ସରକାର କର୍ମଚାରୀଙ୍କୁ ଯେତିକି ଗୁରୁତ୍ୱ ଦିଅନ୍ତି ଚାଷୀଙ୍କୁ ସମାନ ଅନୁପାତରେ ଅବହେଳା କରନ୍ତି । ସମସ୍ତେ ସେମାନଙ୍କର ଉତ୍ପାଦ ପାଇଁ ଉଚିତ୍ ମୂଲ୍ୟ ନେଲା ବେଳେ ଚାଷୀକୁ ସରକାର ଦିଅନ୍ତି ସର୍ବନିମ୍ନ ସହାୟକ ମୂଲ୍ୟ । ଏହି ସର୍ବନିମ୍ନ ସହାୟକ ବଦଳରେ ଉଚିତ୍ ମୂଲ୍ୟ ପାଇଁ ଚାଷୀ ସରକାର ଗଢ଼ା ହେବ । ସରକାରୀ ବ୍ୟବସ୍ଥାକୁ କଠୋର ସମାଲୋଚନା କରି ସହସଂଯୋଜକ ରଶ୍ମିରଂଜନ ସ୍ୱାଇଁ କହିଲେ ଯେ, ମୁଣ୍ଡକୁ ଚାହିଁ ଟୋପି ବଦଳରେ, ଟୋପିକୁ ଚାହିଁ ମୁଣ୍ଡର ଶାସନ ଚାଲିଛି । ରଜା, ଜମିଦାରଙ୍କ ଶାସନ ପରେ ଗଣତନ୍ତ୍ର ଶାସନରେ ଚାଷୀ ଆତ୍ମହତ୍ୟା କରୁଛି ।

ଚାଷୀ ଭୋଟରେ ଚାଷୀ ବିରୋଧୀଙ୍କୁ ପରାସ୍ତ କର : ଶେଷଦେବ